ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ବାନା ରେ ଲଗିଲା ନିଆଁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

ବ୍ୟୁରୋ ରିପୋର୍ଟ - ମହାଦୀପ ଉଠିବା ବେଳେ ଜଳିଗଲା ନୀଳଚକ୍ର ବାନା। ଶ୍ରୀମନ୍ଦିରରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି। ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ସେତେବେଳେ ଝିପି ଝିପି ବର୍ଷାହେବା ସହ ପବନ ବହୁଥିଲା। ସେ ଦୀପ ରଖୁଥିବା ବେଳେ ମାନସିକ ବାନା ଉଡି ସେଥିରେ ଲାଗି ଯାଇଥିଲା। ନୀଳଚକ୍ରରେ ଲଗା ଯାଇଥିବା ବାନା ପୋଡୁଥିବା ଦେଖି ତଳେ ଛିଡା ହୋଇଥିବା ଭକ୍ତ ଏବଂ ସେବକମାନେ ବିଚଳିତ ହୋଇପଡିଥିଲେ। ବାନାରେ ଲାଗିଥିବା ନିଆଁ ଝୁଲ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପଡିଥିଲା। ଯାହକୁ ଦେଖି ଲୋକେ ଆତଙ୍କିତ ହୋଇଯାଇଥିଲେ। ଏହାକୁ ନେଇ ଉଦ୍ବେଗଜନକ ପରିସ୍ଥିତି ଲାଗି ରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚୁନରା ସେବକମାନଙ୍କୁ ଅଁଳାବେଢ଼ାକୁ ପଠାଇଥିଲା। ଚୁନରା ସେବକମାନେ ଅଁଳାବେଢ଼ାକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। କେତେକ ବରିଷ୍ଠ ସେବକ ଏହା ଅଶୁଭ ସୂଚନା ବୋଲି ମତ ଦେଇଛନ୍ତି। ତେବେ ପତିତପାବନ ବାନା ସୁରକ୍ଷିତ ଥିବାରୁ ଶ୍ରୀଜୀଉଙ୍କ ସେବାପୂଜା ଏବଂ ନୀତିକାନ୍ତିରେ ବାଧା ସୃଷ୍ଟିହୋଇନାହିଁ।