ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ପଦ୍ମଶ୍ରୀ ନନ୍ଦମାଷ୍ଟ୍ରେଙ୍କୁ ସମ୍ବର୍ଦ୍ଧନା I

ଯାଜପୁର :- ପଲ୍ଲୀ ରୁ ଦିଲ୍ଲୀ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତି୍ରା ଗ୍ରାମ ନିବାସୀ ୧୦୪ ବର୍ଷ ବୟସ୍କ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ)ଚାଟଶାଳୀ ପରମ୍ପରାକୁ ବଜାୟ ରଖି ଦୀର୍ଘ ୭୫ବର୍ଷ ଧରି ଗ୍ରାମର କୋମଳମତି ଶିଶୁମାନଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରି ଆସୁଥିବାରୁ ଭାରତର ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି l ଦିଲ୍ଲୀ ଠାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇ ଗାଁ ମାଟିରେ ପାଦ ଥାପିବା ପରେ ପ୍ରତ୍ୟେହ ରାଜ୍ୟର ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାପାଇଁ କନ୍ତି୍ରା ଗ୍ରାମରେ ପହଞ୍ଚୁଥିବା ଦେଖାଯାଉଛି l ଶନିବାର ଦିନ ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ପ୍ରେସ ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଫୋରମର କର୍ମକର୍ତ୍ତା ଓ ସଦସ୍ୟମାନେ ଶନିବାର ତାଙ୍କ ଚାଟଶାଳୀରେ ପହଞ୍ଚି ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନକରି ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ l ନନ୍ଦ ମାଷ୍ଟ୍ରେ ତାଙ୍କର ଦିଲ୍ଲୀ ଯାତ୍ରା ଓ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାରର ଅନୁଭୂତି ବର୍ଣନା କରି ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ l (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ)