ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) ୨୭/୧୧:- ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇ ପାରିବେ ବୋଲି ଆଜି ରାଜ୍ୟ ସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଗ୍ନିଯୋଦ୍ଧା ମାନଙ୍କୁ ନୂତନ ଦାୟିତ୍ୱ ନେଇଥିବାରୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜନସାଧାରଣଙ୍କ ସେବା କରିବା ପାଇଁ ଓ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କୁ ଆଜି ସୁଯୋଗ ମିଳିଛି। ମଣିଷ ଜୀବନ ବଞ୍ଚାଇବା ଏକ ମହାପୂଣ୍ୟ। ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ ଜୀବନ ରକ୍ଷାକରି ପୂଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । ସମାଜର ପ୍ରଶଂସା ଓ ସମ୍ମାନ ଆପଣଙ୍କ ଜୀବନର ସବୁଠାରୁ ବଡ ସଫଳତା ହେବ। ଆପଣମାନଙ୍କର କାର୍ଯ୍ୟ କ୍ଷେତ୍ରରେ ସୁନାମ ରାଜ୍ୟକୁ ସୁରକ୍ଷିତ କରି ରଖିବ। ସେ ପୁଣି କହିଥିଲେ ଯେ, ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ପଦବୀ ରହିଛି। ଆଜି ଖାଲି ଥିବା ୮୨୬ଟି ଆଗ୍ନିକ ଓ ୧୧୫ଟି ଆଗ୍ନିକ ଗାଡିଚ...