ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ l

ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଖଡଗପ୍ରସାଦ ନିକଟରେ ଥିବା ଲାନକୋ ବାବନ୍ଧ ପାୱାର ଲିମିଟେଡ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କମ୍ପାନୀ ୨୦୧୬ ମସିହାରୁ ବନ୍ଦ ହୋଇ ପଡ଼ିଥିଲା। ତେବେ ଏନସିଏଲଟି ପକ୍ଷରୁ ଏହି କମ୍ପାନୀକୁ ବିକ୍ରି କରି ଦିଆଯାଇଛି। କମ୍ପାନୀର ୧୨୩୦ ଏକର ଜମିକୁ ୯୧ କୋଟି ଟଙ୍କାରେ ବିକ୍ରୀ କରାଯାଇଥିବା ବେଳେ କମ୍ପାନୀର ଅନ୍ୟାନ୍ୟ ସାମଗ୍ରୀକୁ ୧୨୨ କୋଟି ଟଙ୍କାରେ ବିକ୍ରୀ କରାଯାଇଛି। ତେବେ ଏବେବି ଅନେକ ଜମି ହରାଇଥିବା ପରିବାର ସେମାନଙ୍କ କ୍ଷତିପୂରଣ ପାଇ ନ ଥିବା ବେଳେ କର୍ମଚାରୀ ମାନେ ଗତ ତିନି ବର୍ଷ ଧରି ସେମାନଙ୍କ ଦରମା ପାଇ ନାହାନ୍ତି। ଏହା ସହିତ ଅନେକ ଠିକାଦାର ଓ ସପ୍ଳାୟର ସେମାନଙ୍କ ବାକି ପଇସା ପାଇ ନାହାନ୍ତି। ଏନସିଏଲଟି ଏହି କମ୍ପାନୀକୁ ବିକ୍ରି କରିବା ସମୟରେ କୈାଣସି ଓଡ଼ିଆ ଖବରକାଗଜ ବା ନ୍ୟୁଜ ଚ୍ୟାନେଲରେ ବିଜ୍ଞାପନ ଦେଇନାହିଁ। ତେଣୁ କମ୍ପାନୀ ବିକ୍ରୀ କରାଯିବା ପୂର୍ବରୁ ସମସ୍ତଙ୍କ ବକେୟା ପ୍ରଦାନ କରିବା ଦାବିରେ ଆଜି ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଦାବି କରାଯାଇଛି। ଲୋକମାନଙ୍କ ସମସ୍ତ ଦାବିକୁ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯିବ ବୋଲି ସ୍ଥାନୀୟ ବିଡିଓ ପ୍ରକାଶ କରିଛନ୍ତି l