ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନିକ ସ୍ତରରେ ବୈଠକ l
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗତକାଲି (୩୦ ଏପ୍ରିଲ, ୨୦୨୪) ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷଗୁଡ଼ିକର ଅନୁଭୂତି ଓ ଅଭିଜ୍ଞତାକୁ ପାଥେୟ କରି ସମସ୍ତ ପ୍ରସ୍ତୁତି ଜାରି ରଖିବା ନିମନ୍ତେ ବୈଠକରେ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱରର ନିର୍ଦ୍ଦେଶିକା ଡଃ. ମନୋରମା ମହାନ୍ତି ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ଜାରି ରହିଥିବା ଗ୍ରୀଷ୍ଣ ପ୍ରବାହ ଏବଂ ଉପଗ୍ରହ ତଥ୍ୟ ଆଧାରରେ ଚଳିତ ମେ ମାସରେ ପାଣିପାଗର ସ୍ଥିତି କିପରି ରହିବ ସେ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଆଗାମୀ ମଇ ମାସ ୧୫ ତାରିଖ ଭିତରେ ବାତ୍ୟା ସଂପର୍କରେ ସେପରି ତଥ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉନଥିବା ଓ ଏହା ପରେ ସ୍ଥିତି ଜଣାଯିବା ସଂପର୍କରେ ସେ ଅବଗତ କରିଥିଲେ। ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଓଡ଼ିଶାବାସୀ ଜନସାଧାରଣ ଓ ପ୍ରଶାସନିକ ଆଦି ସବୁ ସ୍ତରରେ ସତର୍କ ରହିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ବିଭାଗ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କଣ୍ଟିଜେଣ୍ଟ ପ୍ଲାନ୍ ସଂ...