ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ):- ଆଜି ଲୋକସଭା ଭବନରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଶେଷଧାଡ଼ିରେ ଥିବା ଲୋକଙ୍କ ପାଖରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ପହଞ୍ଚାଇବା ପାଇଁ ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ। ଏହି ସମ୍ମିଳନୀରେ ଲୋକଙ୍କ ସମସ୍ୟା ପ୍ରତି ଆମ ସରକାର ପ୍ରସ୍ତୁତ କରିଥିବା ରୋଡ଼ମ୍ୟାପ ନେଇ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସେହିପରି ଗଣମାଧ୍ୟମ, ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗ ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ଜିଲ୍ଲାପାଳ ମାନେ ଜିଲ୍ଲା ସ୍ତରରେ ଲୋକଙ୍କୁ ତ୍ବରିତ ସେବା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରରେ ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳମାନଙ୍କୁ ବୁଝିଥାନ୍ତି । ବିଦ୍ୟାଳୟ, ଅଙ୍ଗନବାଡି, ଡାକ୍ତରଖାନା, ପୌରପରିଷଦ ଓ ବ୍ଲକ ସ୍ତରରେ ନିଜେ କାର୍ଯ୍ୟର ଅଗ୍ରଗତି ନିମନ୍ତେ ପରିଦର୍ଶନ କରିବାକୁ ମୁଖ୍ୟମନ୍ତ...