ଗରିବ ହେଲେବି ମାନବିକତା ଅଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ଅନୁଗୁଳ (ବ୍ୟୁରୋ ରିପୋର୍ଟ) - କରୋନା ମୁକାବିଲା ପାଇଁ ସରକାର ଯେତିକି ଚିନ୍ତିତ ଲୋକେ ମଧ୍ୟ ସେତିକି ତତ୍ପର। ଅନେକ ଲୋକ ପରୋକ୍ଷ ଓ ପ୍ରତକ୍ଷ୍ୟ ଭାବେ ଏହି ଲଢେଇରେ ସାମିଲ ହୋଇଛନ୍ତି। ଏଭଳି କିଛି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଜଙ୍ଗଲ ପାହାଡ଼ ଘେରା ତୁରୁଡା ଗାଁରେ। ଗ୍ରାମବାସୀ ନିଜ ନିଜ ମଧ୍ୟରେ ସଚେତନ ହୋଇ କିଛି କିଛି ଅର୍ଥ ସଂଗ୍ରହ କରି ୧୯ହଜାର ୫୦୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ଗାଁରେ ପ୍ରାୟ ୧୦୦ରୁ ଅଧିକ ପରିବାର ବସ ବାସ କରନ୍ତି। ଲୋକଙ୍କର ଆର୍ଥିକ ଅବସ୍ଥା ସେତେଟା ଭଲ ନୁହେଁ। ସେହି ଅଭାବ ଭିତରେ ମଧ୍ୟ କରୋନା ମୁକାବିଲା ପାଇଁ ସେମାନେ ଅଣ୍ଟା ଭିଡିଛନ୍ତି। ନିଜ ପେଟ କାଟି କଷ୍ଟ ଅର୍ଜିତ ଅର୍ଥରୁ କିଛି କିଛି ଦାନ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି। ଗାଁର ଯୁବ ଗୋଷ୍ଠି ଘର ଘର ବୁଲି ସହାୟତା ରାଶି ସଂଗ୍ରହ କରିଛନ୍ତି। ଲୋକେ ମଧ୍ୟ ଖୁସିରେ ଯିଏ ଯେତିକି ପାରିଲା ଦାନ କରିଛନ୍ତି। ଗ୍ରାମବାସୀଙ୍କ ଏହି ମହନତାକୁ ଖୋଦ ବିଧାୟକ ଖୁବ ପ୍ରଶଂସା କରିଛନ୍ତି।