ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ l
ଭୁବନେଶ୍ୱର ତା୧୯/୦୩ (ବ୍ୟୁରୋ ରିପୋର୍ଟ) :- ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପ୍ରତୀକ । ଏହା ଆମର ପରିଚୟ। ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ‘‘୧୯ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା’’ର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଭାବବିହ୍ୱଳ ହୋଇ କହିଥିଲେ ଯେ, ପୂର୍ବରୁ ଏହି ମେଳାକୁ ମୁଁ ଅନେକବାର ବୁଲିବା ପାଇଁ ଆସିଛି। ଆଜି ଓଡ଼ିଶାର ପ୍ରଧାନ ସେବକ ଭାବେ ମତେ ସୁଯୋଗ ମିଳିଲା ଆପଣଙ୍କ ସହିତ ଏଠାରେ ସାମିଲ ହେବା ପାଇଁ, କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ମୁଁ ଏହାକୁ ହାତଛଡ଼ା କଲିନାହିଁ । ମୁଖ୍ୟମନ୍ତ୍ରୀ ବୁଣାକାର ଓ କାରିଗରମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ହେଉଛି ଆମ କଳାର ଏକ ସ୍ୱତନ୍ତ୍ର ପରିଚୟ । ସମଗ୍ର ଓଡ଼ିଆ ଜାତିକୁ ଏହା କଳାର ଏକତା ସୂତ୍ରରେ ବାନ୍ଧି ରଖିଛି । ଏହା ଓଡ଼ିଆ ଅସ୍ମିତାର ପରିଚୟ ଭାବେ ମଧ୍ୟ ଏକ ଗୌରବମୟ ସ୍ଵାକ୍ଷର ବହନ କରୁଛି । ହସ୍ତକଳା, ହସ୍ତଶିଳ୍ପ, ହସ୍ତତନ୍ତର...