କରୋନା ମହାମରୀ ପାଇଁ ଫିକା ଫିକା ଲାଗୁଥିଲା ନୂଆଖାଇ l

ସମ୍ବଲପୁର (ବ୍ୟୁରୋ ରିପୋର୍ଟ) :- ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ ଧାର‌୍ୟ୍ୟ ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ । ପୀଠ ପରିସରରେ ଥିବା ୧୧୫ ପାର୍ଶ୍ବ ଦେବଦେବୀଙ୍କୁ ପୂଜକମାନେ ନବାନ୍ନ ଲାଗି କରିବେ । ଏହାପରେ ଲୋକେ ନିଜ ନିଜ ଘରେ ନୂଆ ଖାଇବେ । ପ୍ରତିବର୍ଷ ନୂଆଁ ଲାଗି ହେବା ପରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରୁ ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଥାନ୍ତି । ଚଳିତବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଁ ସମଲେଶ୍ୱରୀଙ୍କ ଅନ୍ଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

ଦେବୀଙ୍କଠାରେ ନବାନ୍ନ ଲାଗି ଓ ରୁଦ୍ଧଦ୍ୱାର ପୂଜା ବ୍ୟତୀତ ଅନ୍ୟ ସମସ୍ତ କାର‌୍ୟ୍ୟକ୍ରମ ରବିବାର ପୂର୍ବାହ୍ନ ୯ଟା ୧୫ ମିନିଟରୁ ଫେସବୁକ୍ରେ ଲାଇଭ୍ ପ୍ରସାରଣ ବ୍ୟବସ୍ଥା କରାଯାଇଥିବା ମା’ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ କୁମାର ବାବୁ କହିଛନ୍ତି । ସକାଳ ୯ଟା ୧୫ ମିନିଟ ସମୟରେ ଚାରିଜଣ ପୂଜକଙ୍କ ଘରୁ ଭୋଗ ମନ୍ଦିରକୁ ଯିବ ଓ ନିର୍ଦ୍ଧାରିତ ସମୟରେ ଭୋଗ ଲାଗି ହେବାପରେ ଚତୁଃପାର୍ଶ୍ବରେ ଥିବା ଦେବଦେବୀଙ୍କଠାରେ ନବାନ୍ନ ଲାଗିର ସିଧା ପ୍ରସାରଣ କରାଯିବ । ଭକ୍ତମାନଙ୍କ ସକାଶେ ମହାଆଳତୀ ଓ ମାଁଙ୍କ ଦର୍ଶନ ଅନ୍ଲାଇନରେ ଦିନ ପ୍ରାୟ ସାଢ଼େ ୧୧ଟା ପର‌୍ୟ୍ୟନ୍ତ ଉପଲବ୍ଧ ହେବ । ଏହାପରେ ମାଁଙ୍କ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତ ଟ୍ରଷ୍ଟବୋର୍ଡର ଫେସବୁକ୍ର ‘ସମଲେଶ୍ବରୀ ଟେମ୍ପଲ ଟ୍ରଷ୍ଟ ବୋର୍ଡ’ ପେଜ୍ରେ ଭିଡିଓ ଦେଖିପାରିବେ ବୋଲି ଶ୍ରୀ ବାବୁ କହିଛନ୍ତି ।
ଚଳିତବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଦେବୀଙ୍କ ନବାନ୍ନ ଭୋଗ ବଣ୍ଟନ କରାନଯିବାକୁ ନିଷ୍ପତି ହୋଇଛି । ସଂପ୍ରତି ସମଲେଶ୍ୱରୀ ମନ୍ଦିର ବନ୍ଦ ରହିଥିଲେ ହେଁ ନୂଆଁଖାଇ ସକାଶେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ସମସ୍ତ ନୀତିନିର୍ଘଣ୍ଟ ପାଳନ କରାଯିବ ବୋଲି ଜଣାପଡ଼ିଛି । କରୋନା କଟକଣା ଯୋଗୁଁ ବିଭିନ୍ନ ଜିଲାରେ ସୀମିତ ସମୟ ପାଇଁ ଦୋକାନ ବଜାର ଖୋଲା ରହୁଛି । ସେଥିପାଇଁ ଶନିବାର ସକାଳୁ ଦୋକାନବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

ନୂଆଁଖାଇରେ ସ୍ୱତନ୍ତ୍ର ଭାବେ ଆବଶ୍ୟକ ହେଉଥିବା ସାରୁ ଓ ସାରୁପତ୍ର, ବିଭିନ୍ନ ପତ୍ରର ଦନା, ସୂତାର ରାକ୍ଷୀ, ମାଟିର ପାତ୍ର ଆଦିର ବେଶ ଚାହିଦା ଦେଖିବାକୁ ମିଳିଥିଲା । କରୋନା କଟକଣା ଯୋଗୁଁ ଜୁହାର ସମାବେଶ ଆଦି ବନ୍ଦ ରହିଥିବାରୁ ପଶ୍ଚିମ ଓଡ଼ିଶାର କଳାକାରମାନେ ଭର୍ଚୁଆଲ ଭାବେ ଅନ୍ଲାଇନ୍ରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ତଥା କବିତା ପାଠୋତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ତେବେ, କରୋନା ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଁଖାଇ ଫିକା ପଡ଼ି ଯାଇଥିବା ଦେଖାଯାଉଛି । Umakanta Mohapatra (Rita vision News)


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !