ସୁକିନ୍ଦା ବ୍ଲକରେ ୭୮ ପ୍ରତିଶତ ମତଦାନ୭୬୦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ।

 
ଯାଜପୁର, ସୁକିନ୍ଦ:-  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମଙ୍ଗଳବାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକର ୩୩୦ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଶେଷ ହୋଇଛି l କେତେକ ବୁଥରେ କାଁଭା ଗଣ୍ଡଗୋଳ ବ୍ୟତୀତ ଭୋଟ ଗ୍ରହଣ ଶାନ୍ତିପୂର୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦାଗଡ଼ ପଞ୍ଚାୟତର ୬ନମ୍ବର, ସଂସାଇଲୋ ପଞ୍ଚାୟତର ୧୧ନମ୍ବର, ଆମ୍ପୋଳବା ପଞ୍ଚାୟତର ୮ନମ୍ବର, ହରିପୁର ପଞ୍ଚାୟତର ୬ ଓ ୧୩ ନମ୍ବର ବୁଥରେ ସାମାନ୍ୟ ଗଣ୍ଡଗୋଳ ଘଟି ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା l 
ପୋଲିସ ସେ ସବୁ ସ୍ଥାନରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକରି ଶାନ୍ତି ଶୃଙ୍ଖଳା ସହ ଭୋଟଦାନ ବ୍ୟବସ୍ଥା କରିଥିଲା l ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ସଂସାଇଲୋ, ଆମ୍ପୋଳବା ଓ ହରିପୁର ଠାରେ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା l
   ଏହି ନିର୍ବାଚନରେ ବିଭିନ୍ନ ପଦପାଇଁ ୭୬୦ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି l ଜିଲା ପରିଷଦ ୩ଟି ଜୋନ ସଭ୍ୟ ପଦ ପାଇଁ ୧୪ଜଣ, ସରପଞ୍ଚ ପଦ ପାଇଁ ୮୪ଜଣ, ସମିତି ସଭ୍ୟ ପାଇଁ ୬୩ଜଣ ଓ ୱାର୍ଡ ସଭ୍ୟ ପାଇଁ ୫୯୯ ଜଣ ଏପରି ମୋଟ ୭୬୦ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି l
 ଆସନ୍ତା ୨୬,୨୭ ଓ ୨୮ ତାରିଖରେ ବ୍ଲକ କାର୍ଯ୍ୟାଳୟଠାରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷିତ ହେବବୋଲି ବ୍ଲକ ପଞ୍ଚାୟତ ଅଧିକାରୀ ସତ୍ୟ ଭୂଷଣ ବିଶ୍ୱାଳ ସୂଚନା ଦେଇଛନ୍ତି l ବ୍ଲକରେ ମୋଟ ୧ଲକ୍ଷ ୮ହଜାର ୬୫୬ଜଣ ମତଦାତାଙ୍କ ମଧ୍ୟରୁ ୭୮ ପ୍ରତିଶତ ମତଦାତା ମତଦାନ କରିଥିବା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତାପସ କୁମାର ସେଠୀ ପ୍ରକାଶ କରିଛନ୍ତି l ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସପି ରାହୁଲ ପିଆର ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ପରିଦର୍ଶନକରି ନିର୍ବାଚନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ l
     ଏହି ନିର୍ବାଚନରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ଆମ୍ପୋଳବା ପଞ୍ଚାୟତର ୫ ଓ ୬ ନମ୍ବର ବୁଥକୁ ଆଦର୍ଶ ମହିଳା ମତଦାନ କେନ୍ଦ୍ରରେ ପରିଣତ କରାଯାଇ ମହିଳା ପ୍ରିଜାଇଡିଙ୍ଗ, ମହିଳା ପ୍ରଥମ ଓ ଦ୍ଵିତୀୟ ପୋଲିଂ ଅଧିକାରୀ ଓ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମହିଳା ପୋଲିସଙ୍କୁ ନିୟୋଜିତ କରାଯାଇଥିଲା l(ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !