ବସୁନ୍ଧରା ଯୋଜନାରେ କେଳେଙ୍କାରୀ, ଅନୁପ୍ରବେଶକାରୀ ସାମିଲ l

କେନ୍ଦ୍ରାପଡ଼ା(ବ୍ୟୁରୋ ରିପୋର୍ଟ) : - ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲାର ୫୭୯ ଜଣ ଗୃହହୀନ ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ମୋଟ ୧୩.୩୮୦ ଏକର ପତିତ ଜମି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ ଏହି ଯୋଜନାରେ ଜିଲ୍ଲାରେ ଅଦ୍ୟାବଧି ଆଳି ତହସିଲ ଅଞ୍ଚଳର ୪୫୦ ଜଣ ଭୂମିହୀନଙ୍କୁ ୧୫.୯୭୧ ଏକର ଜମି ପ୍ରଦାନ କରାଯାଇଛି। ସେହିପରି ଡେରାବିଶ ତହସିଲ ଅଞ୍ଚଳରେ ୧୫୧ ଜଣଙ୍କୁ ୫.୬୮୦ ଏକର, ଗରଦପୁରରେ ୨୧୭ ଜଣଙ୍କୁ ୮.୬୮୦ ଏକର, ରାଜକନିକାରେ ୫୮୩ ଜଣଙ୍କୁ ୧୯୮.୬୯୦ ଏକର, କେନ୍ଦ୍ରାପଡ଼ାରେ ୪୦୨ ଜଣଙ୍କୁ ୨୬.୮୬୧ ଏକର, ମାର୍ଶାଘାଇରେ ୭୫୯ ଜଣଙ୍କୁ ୨୭.୨୬୨ ଏକର, ମହାକାଳପଡ଼ାରେ ୧୪୬୫ ଜଣଙ୍କୁ ୧୧୧.୨୯୦ ଏକର, ପଟ୍ଟାମୁଣ୍ଡାଇରେ ୮୨୪ ଜଣଙ୍କୁ ୩୧.୭୮୮ ଏକର ଓ ରାଜନଗର ତହସିଲ ଅଞ୍ଚଳରେ ୫୭୦ ଜଣଙ୍କୁ ୨୨.୭୪୦ ଏକର ଜମି ପଟ୍ଟା ପ୍ରଦାନ କରାଯାଇଛି। ୨୦୧୧ ଜନଗଣନା ସମୟରେ ଜିଲ୍ଲାରେ ମୋଟ ୨୫୧୨ ଭୂମିହୀନ ଥିବାବେଳେ ଗତ ଜୁଲାଇ ସୁଦ୍ଧା ଏହି ଯୋଜନାରେ ମୋଟ ୫୪୨୧ ଜଣ ୪୪୮.୯୬୨ ଏକର ଜମି ପାଇଛନ୍ତି। ଏହାସତ୍ତ୍ୱେ ଅଦ୍ୟାବଧି ଜିଲ୍ଲାରେ ୧୩୦୦ରୁ ଅଧିକ ଏହି ଯୋଜନାରେ ସାମିଲ ପାଇଁ ଆବେଦନ ପତ୍ର ପଡି ରହିଛି। ବହୁ ସଂଖ୍ୟକ ଅନୁପ୍ରବେଶକାରୀ ଏହି ଯୋଜନାରେ ହିତାଧିକାରୀ ସାଜିଥିବା ବେଳେ କେତେକ ମଧ୍ୟସ୍ଥି ଏଥିରେ ସହାୟକ ହୋଇଥିବା ଅଭିଯୋଗ ଆସୁଛି। ଅନୁପ୍ରବେଶ ସମସ୍ୟା ଜିଲାରେ ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ବସୁନ୍ଧରା ଯୋଜନା ଏବେ ବାଟବଣା ହୋଇଥିବା ସାଧାରଣରେ ଦାବି ହେଉଛି ।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କୁହନ୍ତି, ଜିଲ୍ଲାର ଉପାନ୍ତ ଅଞ୍ଚଳ ବାଂଲାଦେଶୀଙ୍କ ଘର ପାଲଟିଛି। ସମୁଦ୍ର ଓ କଲିକତା ପଥ ଦେଇ ବାଂଲାଦେଶୀ ଏହି ଜିଲାକୁ ଅନୁପ୍ରବେଶ କରି ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ବେଳେ ରୋହେଙ୍ଗା ଲୋକଙ୍କୁ ଜିଲ୍ଲାରେ ଦେଖିବାକୁ ମିଳୁଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିବା ପରେ ଭୋଟର, ଆଧାର ଓ ରାଶନ କାର୍ଡ ଆଦି ସରକାରୀ ଯୋଜନାରେ ସାମିଲ ହେଉଛନ୍ତି। ପରବର୍ତ୍ତୀ ସମୟରେ ବସୁନ୍ଧରା ଯୋଜନାରେ ସାମିଲ ହେଉଛନ୍ତି। ଏଥିପାଇଁ ତହସିଲ କର୍ମଚାରୀଙ୍କ ସମେତ କେତେକ ମଧ୍ୟସ୍ଥି ସାମିଲ ହୋଇଛନ୍ତି। ଫଳରେ ଜିଲ୍ଲାର ମୂଳ ଅଧିବାସୀ ଭୂମିହୀନ ହୋଇଥିଲେ ମଧ୍ୟ ବସୁନ୍ଧରା ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଆଉଥରେ ତଦନ୍ତର ସାମ୍ନା କରାଇଲେ ଜିଲ୍ଲା ପ୍ରଶାସନ ଏସମ୍ପର୍କରେ ବହୁ ତଥ୍ୟ ପାଇପାରିବ। ମହାକାଳପଡା ଜମ୍ବୁ ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି, ସେ ଜମି ପାଇବା ପାଇଁ ସ୍ଥାନୀୟ ଆରଆଇ କାର୍ଯ୍ୟାଳୟ ଓ ତହସିଲକୁ ଯାଇଥିଲେ। ସଂପୃକ୍ତ ଆରଆଇ ତାଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଇ ଜମି ପଟ୍ଟା ଯୋଗାଇ ଦେବାକୁ କହି ୧ ଲକ୍ଷ ଟଙ୍କା ନେଇଛନ୍ତି। ପ୍ରଥମେ ୭୦ ହଜାର ଟଙ୍କା ନେଇ ଫର୍ମ-କେ ରସିଦରେ ୧୨୦୦ ଟଙ୍କାର ପାଉତି ଦେଇଥିଲେ। ପରେ ୩୦ ହଜାର ଟଙ୍କା ନେଇ ୮ ଡିସିମିଲର ଜମି ପଟ୍ଟା ବସୁନ୍ଧରା ଯୋଜନାରେ ଦେଇଥିଲେ ମଧ୍ୟ ତନାଘନା ପରେ ପଟ୍ଟା ଓ ପାଉତି ମିଥ୍ୟା ବୋଲି ଜଣାପଡିଛି। ଏନେଇ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ ଥାନାରେ ଅଭିଯୋଗ ପତ୍ର ଦେବା ସହିତ ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହାସତ୍ତ୍ୱେ ନ୍ୟାୟ ମିଳି ନ ଥିବା ହିତାଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ରାଧାକାନ୍ତ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ୨୦୦୬ରେ ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା ଆରମ୍ଭ କରିଛନ୍ତି। ୨୦୧୧ରେ ଜିଲ୍ଲାରେ ୨୫୧୨ ଭୂମିହୀନ ଚିହ୍ନଟ ହୋଇଥଲେ। ଏବେ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ବସୁନ୍ଧରା ଯୋଜନାର ହିତାଧିକାରୀ ହୋଇଛନ୍ତି। ସେହିପରି ୨୦୧୭ରେ ତୃତୀୟଲିଙ୍ଗିଙ୍କୁ ଏହି ଯୋଜନାରେ ସାମିଲ ଲାଗି ନିର୍ଦ୍ଦେଶ ଥିଲେ ହେଁ ଅଦ୍ୟାବଧି କେହି ଜମି ଖଣ୍ଡେ ପାଇନାହାନ୍ତି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଗଲେ ଅନ୍ୟ ଜିଲ୍ଲା ମାନଙ୍କରେ ଏହି ଅନୁରୁପ ପଦ୍ଧତି ବ୍ୟବହାର କରାଯାଇଥିବ ବୋଲି ଅନୁମାନ କରାଯାଉଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !