ବିଶିଷ୍ଟ ତବଲା ବାଦକ, ଗାୟକ, ସଂଗୀତ ଗୁରୁ ‘ଦେବେନ୍ଦ୍ର ମଲ୍ଲିକ’ଙ୍କ ପାଇଁ ଶୋକ ସଭା ଓ ଭଜନସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l

ଯାଜପୁର (ବ୍ୟାସନଗର) : - ତା ୦୬/୧୧/୨୦୨୩ ରିଖ ରେ ପରଲୋକ ଗମନ କରିଥିବା ବିଶିଷ୍ଟ ତବଲା ଓ ଲାଲ ବାଦକ ତଥା ବରିଷ୍ଠ ଗାୟକ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ଆଜି ଏକାଦଶାହ କ୍ରିୟା ଉପଲକ୍ଷେ ୧୭ନଂ. ୱାର୍ଡ଼ ସ୍ଥିତ ତାଙ୍କ ବାସଭବନରେ ‘ଉଦୟବଟ’ ତରଫରୁ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପରେ ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ ପକ୍ଷରୁ ଏକ ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ଶ୍ରୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଜୟ କୁମାର ବ୍ରହ୍ମ, ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଗାୟତ୍ରୀ ମଲ୍ଲିକ, ଭାରତ ଭୂଷଣ ରାଉତ, ହିତାଗ୍ନୀ ମିଶ୍ର, ଭାସ୍କର ମୁଦୁଲି, ଦୁଷ୍ମନ୍ତ କୁମାର ରାଉତ, ମଦନ ମୋହନ ମହାରଣା ପ୍ରମୁଖ ଅଂଶଗ୍ରହଣ କରି ୰ ମଲ୍ଲିକଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପଦାରବିନ୍ଦଙ୍କ ନିକଟରେ ଭକ୍ତି ସଂଗୀତମାନ ଗାନ କରିଥିଲେ । ମଂଚରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ସାହୁ, ସମୀର କୁମାର ମିଶ୍ର, କଳିଙ୍ଗ କେଶରୀ ରାଉତ, ଶୁଭେନ୍ଦୁ କୁମାର ଜେନା (ବୁନା), ଅରୁଣ ଖଟୁଆ ପ୍ରମୁଖ ଉପସ୍ଥିତ ରହି ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ।
   ପ୍ରଥମେ ୰ ମଲ୍ଲିକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବହୁ ସ୍ଥାନୀୟ ବ୍ୟକ୍ତିବିଶେଷ, ଜନପ୍ରତିନିଧି, ଯୁବକ ପ୍ରମୁଖ ଯୋଗ ଦେଇ ୰ ମଲ୍ଲିକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୈାରାଂଚଳର ବିଶିଷ୍ଟ ଯୁବ ନେତା ଅନୂପ କୁମାର ନାୟକ, ସ୍ଥାନୀୟ ୧୭ନଂ. ୱାର୍ଡ଼ର କାଉନସିଲର ଅନପୂର୍ଣ୍ଣା ତରାଇ, ୨ନଂ. ୱାର୍ଡ଼ର କାଉନସିଲର କୁନି ହାଂସ୍‌ଦା, ବିପ୍ଳବ ଦତ, ଯୁଧିଷ୍ଠିର ଶଙ୍ଖୁଆ, ଲଛ୍‌ମନ ମୁଣ୍ଡା, ୰ ମଲ୍ଲିକଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଫୁଲ୍ଲ ମଲ୍ଲିକ (ବୁଲୁ), ସମସ୍ତ ପୁଅ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ଜ୍ଞାତିକୁଟୁମ୍ବ ପ୍ରଭୃତି ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ମଲ୍ଲିକ ହୃଦ୍‌ଘାତରେ ତା. ୦୬/୧୧/୨୦୨୩ ରାତ୍ରରେ ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲେ । ସ୍ଥାନୀୟ ଅଂଚଳରେ ଜଣେ ବରିଷ୍ଠ କଳାକାର ଭମାବେ ତାଙ୍କର ଖ୍ୟାତି ରହିଥିଲା । ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତଙ୍କୁ ପ୍ରବତାଇ ‘ଦୁର୍ଲ୍ଲଭ କଳା ପରିଷଦ’ ଗଠନ କରିବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ଶ୍ରୀ ରାଉତ ମଧ୍ୟ ସବୁ ସମୟରେ ସମ୍ମାନର ତାଙ୍କୁ ବିଭିନ୍ନ ମଂଚରେ ଅଗ୍ରାଧିକାର ଦେଇ ଆସୁଥିଲେ । ସୂଚନାଯୋଗ୍ୟ, ଗତ ତା. ୨୩/୧୦/୨୦୨୩ରେ ‘କପିଳେଶ୍ୱର କଲୋନି ମା’ ଦୁର୍ଗା ପୂଜା’ ପେଣ୍ଡାଲରେ ଏବଂ ସାପଗଡ଼ିଆ ଛକ ସ୍ଥିତ ‘ମା’ ଲକ୍ଷ୍ମୀ ପୂଜା’ ପେଣ୍ଡାଲରେ ‘ଦୁର୍ଲ୍ଲଭ କଳା ପରିଷଦ’ ତରଫରୁ ଆୟୋଜିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଲାଲ ବଜାଇବା ସହ ସୁମଧୂର ସଂଗୀତ ଗାଈ ପୁରସ୍କାର ପରେ ପୁରସ୍କାର ଜିଣିଥିଲେ । ୭୫ ବର୍ଷ ବୟସରେ ସମସ୍ତ ଦାନ୍ତ ଗଳିପଡିଥିବା ବେଳେ ତାଙ୍କର ସଂଗୀତଗୁଡିକ ଏତେ ସୁମଧୂର ଥିଲା ଯେ, ଆଜିକାଲିର ଯୁବକମାନେ ବେଶି ପରିମାଣରେ ତାଙ୍କର ଗୀତଗୁଡିକୁ ମୋବାଇଲରେ ରେକର୍ଡିଂ କରୁଥିବାର ଦେଖାଯାଉଥିଲା । ପରିଣତ ବୟସରେ ଯୁବ ସୁଲଭ ଢ଼ଙ୍ଗରେ ସେ କାର୍ଯ୍ୟକ୍ରମରେ ପରିବେଷଣ କରୁଥିଲେ । ଜଣେ ପୁରୁଖା ତାବ୍‌ଲିଷ୍ଟ ହୋଇଥିଲେ ସେ ଅନେକ ବାଦ୍ୟଯନ୍ତ୍ର ଯଥା ଲାଲ, ମୃଦଙ୍ଗ, ଝୁମୁକା, ତବଲା, ଖଜଣୀ ଆଦି ବଜାଉଥିଲେ । ଅନେକ ତାଙ୍କୁ ‘ତବଲା ମଉସା’ ଭାବେ ସମ୍ବୋଧିତ କରୁଥିଲେ । ଜଣେ ଅଭାବୀ ହେଲେ ହେଁ ସେ ବଡ଼ ସ୍ୱାଭିମାନୀ ଥିଲେ । ଶ୍ରୀ ରାଉତଙ୍କ ପ୍ରଚେଷ୍ଟାରେ ସିମୀତ ସୁଯୋଗ ଭିତରେ କିଛି ଛୋଟ ଛୋଟ ପିଲାଙ୍କୁ ବାଦ୍ୟ ଯନ୍ତ୍ର ସହ ଗୀତ ମାଗଣାରେ ଶିଖାଉଥିଲେ । ତାଙ୍କର ପରିବାରର ଅଧିକାଂଶ ସଦସ୍ୟ କଳାପ୍ରେମୀ ଅଟନ୍ତି । ‘ସାପଗଡ଼ିଆ ଲକ୍ଷ୍ମୀ ପୂଜା କମିଟି’ର ଅଧିକାଂଶ କର୍ମକର୍ତା ଓ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିଲେ । ‘ସାପଗଡ଼ିଆ ଲକ୍ଷ୍ମୀ ପୂଜା କମିଟି’ ଓ ବହୁ ସ୍ଥାନୀୟ ଯୁବକ ‘ଦୁର୍ଲ୍ଲଭ କଳା ପରିଷଦ’ର ଉପସ୍ଥିତ କଳାକାର, ବାଦ୍ୟ ଶିଳ୍ପୀ ଓ ସହଯୋଗୀମାନଙ୍କୁ ଉତରୀୟ ଦେଇ ସମ୍ପର୍ଦ୍ଧିତ କରିଥିଲେ । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !