ଦାଦନ ଗଡରେ ବଢି ଚାଲିଛି ଦାଦନ ମୃତ୍ୟୁ ! ନିଦାବିଷ୍ଣୁ ଶ୍ରମ ବିଭାଗ।

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ପୁଲିସ, ପ୍ରଶାସନ ଓ ଶ୍ରମ ବିଭାଗର ବାରମ୍ବାର ସଚେତନ‌ତା ସତ୍ତ୍ୱେ ଦାଦନ ସମସ୍ୟା ସମାଧାନ ହେଉନାହିଁ । ବିଶେଷ କରି ନିର୍ଯାତନାର ଶିକାର ହେଉଥ‌ିବା ଶ୍ରମିକ ବିନା ପଞ୍ଜୀକରଣରେ ଯାଉଥିବା ଜଣାପଡ଼ିଛି । ଶ୍ରମ ଅଧିକାରୀ ଓ ବିଭାଗୀୟ କର୍ମଚାରୀଙ୍କ ଅବହେଳା କାରଣରୁ ଅସାଧୁ ଦାଦନ ସର୍ଦ୍ଦାରମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ଅଣ ପଞ୍ଜିକୃତ ଶ୍ରମିକଙ୍କୁ ପ୍ରଲୋଭିତ କରି ରାଜ୍ୟ ବାହାରକୁ ପଠାଉଥିବା ଅଭିଯୋଗ ହେଉଛି । ମାଲିକ ପାଖରେ କିଛି ଦିନ କାମ କଲାପରେ ମାଲିକ ଅତ୍ୟଧିକ କାମ ଆଦାୟ ସହ ନିର୍ଯାତନା ଦେବା ଆରମ୍ଭ କରିଦେଉଛି । ଫଳରେ ଅନେକ ଶ୍ରମିକ ଜୀବନ ହରାଉଥିବା ମଧ୍ୟ ଉଦାହରଣ ରହିଛି । ଶ୍ରମିକ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରୁ ସହଜରେ ଉପଲବ୍ଧ ହେଉ ନଥିବା ବେଳେ କୌଣସି ଖବର ପ୍ରକାଶିତ ହେଲେ ଜିଲା ଶ୍ରମ ଅଧୂକାରୀ ଗରଗର ହେଉଥ‌ିବା ସୂଚନା ମିଳିଛି । ଜିଲ୍ଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ଶ୍ରମ ବିଭାଗ ସୁନିଶ୍ଚିତ କରିବା ଆବଶ୍ୟକ କିନ୍ତୁ ଏବେ ମଧ୍ୟ ତାହା ହେଉନାହିଁ । ଗତ କିଛି ଦିନ ଆଗରୁ ବେଲପଡ଼ା ବ୍ଲକ ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକ ହାଇଦ୍ରାବାଦ ସାତନଗର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ଅତ୍ୟଧିକ କାମ ହେବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ପରେ ଇଟାଭାଟି ମାଲିକ ତାଙ୍କ ଝିଅକୁ ବନ୍ଧକ ରଖି କାହ୍ନୁ କୁ ଚିକିତ୍ସା ନ କରି ଘରକୁ ପଠାଇ ଦେଇଥିଲେ। ଫଳରେ କାହ୍ନୂର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଏହି ବେଲପଡ଼ା ବ୍ଲକ ବେଛୁବାହାଲି ଗ୍ରାମର ରୂପଧର ମାଝି ବୟସ (୨୪) ଦାଦନ ଖଟିବାକୁ ସାତନଗର ହାଇଦ୍ରାବାଦକୁ ଯାଇଥିଲେ । ସେଠି କାର୍ଯ୍ୟରତ ଥିବା ସମୟରେ ତାଙ୍କ ପେଟରେ ଦରଦ ହେବା ଫଳରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସେଠି ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଏବଂ ୨ ଛୁଆ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ହାଇଦ୍ରାବାଦରୁ ତାଙ୍କ ଶବ ନେଇ ବେଛୁବାହାଲି ପହଞ୍ଚିଛନ୍ତି । ରୁପଧର ମାଝି ଗତ ବର୍ଷ ନୂଆଖାଇ ସରିଲା ପରେ ଦାଦନ ଖଟିବା ପାଇଁ ହାଇଦ୍ରାବାଦ ସାତନଗର ଅଂଚଳର ଏକ ଇଟା ଭାଟି କୁ ଯାଇଥିଲେ । ସେ ପ୍ରଥମ ଥର ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଇଥିଲେ । ସେଠି ଅତ୍ୟଧିକ କାମ ହୋଇ ଯିବାରୁ ଦିନକୁ ଦିନ ତାଙ୍କ ଦେହ ଖରାପ ହେବାରେ ଲାଗିଲା । ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଅନେକ ଦାଦନ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରୁଛନ୍ତି । ହେଲେ ହାତ ବାନ୍ଧି ବସିଛି ଶ୍ରମ ବିଭାଗ । ଏହି ଦାଦନ କାଗଜ ପତ୍ର କରି ବାହାର ରାଜ୍ୟକୁ ଚାଲାଣ କରାଯାଇଥିଲା ନା ବେଆଇନ ଭାବରେ ଚାଲାଣ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ଅଟେ । ବର୍ତ୍ତମାନ ଘଟଣା ସ୍ଥଳରେ ବେଲପଡା ପୋଲିସ ପହଞ୍ଚିଥିବା ଦେଖିବାକୁ ମିଲିଛି । ପରିବାର ଲୋକେ ସହାୟତା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି l ପ୍ରଶାସନିକ କ୍ଷେତ୍ରରେ ଏହି ଖବରକୁ ନେଇ କେତେ ତତ୍ପରତା ଦେଖାଉଛି ଏବଂ ସଂପୃକ୍ତ ପରିବାରକୁ କଣ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହା ଦେଖିବାକୁ ବାକି ରହିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !