ରାଜ୍ୟରେ ୧୬ ହଜାର ୯ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ l
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) :- ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି । ନବନିଯୁକ୍ତ ଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଆୟୋଜିତ 'ମାର୍ଗ ଦର୍ଶନ' ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁ ଦାୟିତ୍ଵ ପାଇଥିବା ସମସ୍ତ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ l ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଲେ
"ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏକ ସରଳ ଶିଶୁର ଭବିଷ୍ୟତ ଗଢିବାରେ ଦାୟିତ୍ଵ ଗୁରୁଙ୍କ ହାତରେ। ଆପଣ କେବଳ ଜଣେ ସରକାରୀ କର୍ମଚାରୀ ନୁହନ୍ତି ଆପଣ ହେଲେ ଜଣେ ଜଣେ ମଣିଷ ଗଢା ଶିଳ୍ପୀ। ଓଡ଼ିଶାର ଭବିଷ୍ୟତର ଦାୟିତ୍ଵ ଏବେ ଆପଣ ସମସ୍ତଙ୍କ କାନ୍ଧରେ। ଆପଣଙ୍କ ଶିକ୍ଷା ଦାନକୁ ଆହୁରି ସରଳ କରିବା ନିମନ୍ତେ ସରକାର ମଧ୍ୟ ପ୍ରତିବଦ୍ଧ"।
ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି, ଡବଲ ଇଞ୍ଜିନ ସରକାରରେ ଗୁଣାତ୍ମକ ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ଵ ଦିଆଯାଉଛି, ଏହାକୁ ଆହୁରି ଉନ୍ନତ ଏବଂ ଆଧୁନିକ କରିବା ନିମନ୍ତେ ଶିକ୍ଷାକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ୩୫,୫୩୬ କୋଟି ବ୍ୟୟବରାଦ କରିଛନ୍ତି । ଆମ ସରକାର ଆସିବା ପରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ସହଯୋଗରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଛି।
କେବଳ ଭଙ୍ଗା ଘରେ ରଙ୍ଗ ଦେଇ ରୂପାନ୍ତରଣ କହିଦେଲେ ଶିକ୍ଷାରେ ଉନ୍ନତି ହୁଏନି। ଜଣେ ଶିକ୍ଷକ ଭାବେ ଶିକ୍ଷା ଏବଂ ଭିତ୍ତିଭୂମିର ଆବଶ୍ୟକତାକୁ ମୁଁ ହୃଦୟଙ୍ଗମ କରିଛି। ଓଡ଼ିଶାର ଭବିଷ୍ୟତ ଗଢିବାର ଗୁରୁ ଦାୟିତ୍ଵକୁ ସରକାର ଆପଣଙ୍କ ହାତରେ ପ୍ରଦାନ କରିଛନ୍ତି। ଆପଣ ସମସ୍ତେ ଶିକ୍ଷକତାକୁ ପେସା ନକରି ନିଶା କରନ୍ତୁ, ଶିକ୍ଷାଦାନକୁ ଆନନ୍ଦମୟ କରନ୍ତୁ, ବିଦ୍ୟାଦାନ ପାଇଁ ଆଧୁନିକ କୌଶଳ ବ୍ୟବହାର କରନ୍ତୁ ଏବଂ ଜଣେ ଶିକ୍ଷକ ଭାବେ ନିଜକୁ ଗର୍ବ କରନ୍ତୁ। ଓଡ଼ିଶାର ଭବିଷ୍ୟତକୁ ସୁଦୃଢ କରିବାରେ ଆପଣ ସମସ୍ତେ ହେଲେ ଜଣେ ଜଣେ କାରିଗର। ମୋର ବିଶ୍ବାସ ଆପଣ ସମସ୍ତଙ୍କ ଯୋଗଦାନ ଏବଂ ପ୍ରୟାସରେ ବିକଶିତ ଓଡ଼ିଶା, ବିକଶିତ ଭାରତ ନିର୍ମାଣର ସ୍ଵପ୍ନ ସାକାର ହେବ, ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ଵଳମୟ ହେବ। ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ ଜଣ, ବାଲେଶ୍ୱର ଜିଲ୍ଲାରେ ୬୦୦ଜଣ, ବରଗଡ଼ ଜିଲ୍ଲାରେ ୪୭୯ଜଣ, ଭଦ୍ରକ ଜିଲ୍ଲାରେ ୨୬୦ଜଣ, ବଲାଙ୍ଗିର ଜିଲ୍ଲାରେ ୧୦୮୦ଜଣ, ବୌଦ୍ଧ ଜିଲ୍ଲାରେ ୬୫ଜଣ, କଟକ ଜିଲ୍ଲାରେ ୮୯୩ଜଣ, ଦେବଗଡ଼ ଜିଲ୍ଲାରେ ୨୧ଜଣ, ଢେଙ୍କାନାଳ ଜିଲ୍ଲାରେ ୫୮୩ଜଣ, ଗଜପତି ଜିଲ୍ଲାରେ ୧୩ଜଣ, ଗଞ୍ଜାମ ଜିଲ୍ଲାରେ ୧୨୬୪ଜଣ, ଜଗତସିଂହପୁର ଜିଲ୍ଲାରେ ୮୮ଜଣ, ଯାଜପୁର ଜିଲ୍ଲାରେ ୮୭୨ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୮ଜଣ, କଳାହାଣ୍ଡି ଜିଲ୍ଲାରେ ୮୧୧ ଜଣ, କନ୍ଧମାଳ ଜିଲ୍ଲାରେ ୧୫୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୩୮ଜଣ, କେନ୍ଦୁଝର ଜିଲ୍ଲାରେ ୧୩୨୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୭୫୩ ଜଣ, କୋରାପୁଟ ଜିଲ୍ଲାରେ ୯୨୨ଜଣ, ମାଲକାନଗିରି ଜିଲ୍ଲାରେ ୫୫୫ଜଣ, ମୟୂରଭଞ୍ଜ ଜିଲ୍ଲାରେ ୮୨୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୮୬୦ ଜଣ, ନୟାଗଡ଼ ଜିଲ୍ଲାରେ ୮୩ ଜଣ, ନୂଆପଡ଼ା ଜିଲ୍ଲାରେ ୨୨୧ ଜଣ, ପୁରୀ ଜିଲ୍ଲାରେ ୭୩୩ଜଣ, ରାୟଗଡ଼ା ଜିଲ୍ଲାରେ ୫୧୧ ଜଣ, ସମ୍ବଲପୁର ଜିଲ୍ଲାରେ ୨୧୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରେ ୧୫୭ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇଛନ୍ତି।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.