ସ୍ମାର୍ଟ ସିଟି ଭୁବନେଶ୍ବର ରେ ସୁରକ୍ଷିତ ନୁହଁନ୍ତି ବାସିନ୍ଦା, ଚାହୁଁ ନାହୁଁ ଚାଲିଯାଏ ଜୀବନ l

ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :-  ରାଜଧାନୀ ଭୁବନେଶ୍ୱରରେ ନାଳରେ ପଡ଼ି ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମିଳିଲା ତାଙ୍କ ମୃତଦେହ।
ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ପଞ୍ଚସଖା ନଗର ପାଖ ଡ୍ରେନରୁ ଅଗ୍ନିଶମ କର୍ମଚାରୀମାନେ ଏକ ମୃତଦେହ ଉଦ୍ଧାର କରିଥିଲେ। ତେବେ ସଙ୍ଗେ ସଙ୍ଗେ ଏହା ଜ୍ୟୋତିପ୍ରକାଶଙ୍କ ମୃତଦେହ ନା ନୁହେଁ, ତାହା ଜଣାପଡ଼ି ନଥିଲା। ମୃତଦେହକୁ ଏମ୍ସରେ ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିଥିଲେ।
ଗତକାଲି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଥିବା ଜ୍ୟୋତିପ୍ରକାଶଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ହୁଏତ ସଙ୍ଗେ ସଙ୍ଗେ ଖୋଜାଖୋଜି ଆରମ୍ଭ କରାଯାଇଥିଲେ ସେ ଜୀବିତ ମିଳିପାରିଥା’ନ୍ତେ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି I 

ଗତକାଲି ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଗଣ୍ଡମୁଣ୍ଡା ନାଳ ନିକଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ କହିଥିଲେ। ଏହାପରେ ଖୋଜାଖୋଜି କରାଯାଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା। ଏହାପରେ ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଣ୍ଡମୁଣ୍ଡା ନାଳଠୁ ପଞ୍ଚସଖା ନାଳ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ଅଗ୍ନିଶମ କର୍ମଚାରୀ। ଏହାପରେ ପଞ୍ଚସଖା ନାଳ ନିକଟରେ ମୃତଦେହଟି ଭାସୁଥିବା ବେଳେ ସେମାନେ ଏହାକୁ ଉଦ୍ଧାର କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ୨ଟାରେ ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଯାଇଥିଲେ ଶତାବ୍ଦୀ ନଗରର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା। ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସି ଯାଇଥିଲେ । ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିଲା।
ସ୍ମାଟ ସିଟି ଭୁବନେଶ୍ୱର ପାଇଁ କାଳ ସାଜିଛି ମୁକୁଳା ଡ୍ରେନ୍ । ଗତ ୬ ବର୍ଷ ଭିତରେ ମୁକୁଳା ଡ୍ରେନ୍ ରାଜଧାନୀରେ କେବଳ ୫ ମୁଣ୍ଡ ନେଇ ସାରିଲାଣି । ସାମାନ୍ୟ ବର୍ଷାରେ ରାସ୍ତା ଉପରେ ଛୁଟୁଛି ପାଣିର ସୁଅ । ପାଦ ଦେଉ ଦେଉ ଡ୍ରେନ୍‌କୁ ଟାଣି ହୋଇ ମରଣଯନ୍ତାରେ ଫସି ଯାଉଛନ୍ତି ସ୍ମାର୍ଟସିଟି ବାସିନ୍ଦା । ଫଳରେ ଛଟଛଟ ହୋଇ ଚାଲି ଯାଉଛି ଜୀବନ । ବିଭିନ୍ନ ସ୍ଥାନରେ ଡ୍ରେନ୍ ମୁକୁଳା ପଡ଼ିବା ଯୋଗୁଁ ବାରମ୍ବାର ଘଟୁଛି ଅଘଟଣ ପରେ ଅଘଟଣ । ହେଲେ ନିଦାବିଷ୍ଣୁ ସାଜିଛି ବିଏମ୍‌ସି।
୨୦୧୫ ମସିହା ଅଗଷ୍ଟ ୨୬ରେ ସ୍ମାର୍ଟସିଟିର ଅସଜଡା ଡ୍ରେନ୍ ଭିତରେ ଭାସିଯାଇଥିଲେ ଜଣେ ୯ ବର୍ଷର ବାଳକ । ନୟାପଲ୍ଲୀ ବେହେରା ସାହି ନିକଟରେ ମୁକୁଳା ପଡିଥିବା ଡ୍ରେନ୍ ଛାତ୍ର ପୁପୁନ ବିଶ୍ୱାଳଙ୍କ ପାଇଁ କାଳ ସାଜିଥିଲା । ଏହାପରେ ୨୦୧୭ରେ ଜଣେ ଶିକ୍ଷକ,୨୦୧୮ରେ ଏକ ଛୋଟ ପିଲା ଏବଂ ୨୦୧୯ରେ ଜଣେ ବୃଦ୍ଧା ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିଲେ । ଏହା ସତ୍ତ୍ୱେ ମଧ୍ୟ ଚେତୁ ନ ଥିବା ବିଏମ୍‌ସି ନିଦାବିଷ୍ଣୁ ସାଜିଛି। ବିଏମ୍‌ସି ଅଧିକାରୀଙ୍କ ଏପରି ଖାମଖିଆଲି ମନୋଭାବ ଯୋଗୁ ଚାରି ଆଡ଼େ ଅସନ୍ତୋଷ ତେଜିବାରେ ଲାଗିଛି । ଗତକାଲି ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିବା ବେଳେ ଆଜି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରତିବାଦ କରାଯାଇଛି ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !