ଦୀର୍ଘ ୫୩ ବର୍ଷ ପରେ ନିଆରା ରଥଯାତ୍ରା, ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ l

 ପୁରୀ (ବ୍ୟୁରୋ ରିପୋର୍ଟ) :- ଦୀର୍ଘ ୫୩ ବର୍ଷ ପରେ ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡିଛି । ସେଥିପାଇଁ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି ରଥଯାତ୍ରା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ବହୁ ନେତୃବୃନ୍ଦ ଆସି ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । କାଳିଆ ସାଆନ୍ତେଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀମନ୍ଦିରରୁ ବାହାରି ଧାଡି ପହଣ୍ଡିରେ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତେ । ସେହି ସମୟରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ଆଉ ଭକ୍ତି ଭାବରେ ଭିଜିଥିଲେ ଭକ୍ତ । ଖୋଲା ଆକାଶ ତଳେ ହେଲା ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଆଉ ଚକାଆଖିକୁ ଦେଖି ଭାବବିହ୍ୱଳ ହୋଇଥିଲେ ଭକ୍ତ । ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥ ପହଣ୍ଡିରେ ଆସି ରଥରେ ବସିଥିଲେ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ବଡଦାଣ୍ଡ । ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ରଥାରୁଢ ତିନି ଠାକୁରଙ୍କୁ ଦର୍ଶନ କରିବା ପରେ ଆରମ୍ଭ ହୋଇଥିଲା ଛେରା ପହଁରା ନୀତି । ପ୍ରଥମେ ଶ୍ରୀଜିଉମାନଙ୍କୁ ଦଣ୍ଡପ୍ରଣାମ କରି ଲାଲବସ୍ତ୍ର ପ୍ରଦାନ ପରେ ସୁବର୍ଣ୍ଣ ଝାଡୁରେ ରଥ ପଥ ପରିଷ୍କାର କଲେ ଗଜପତି ମହାରାଜ । ଏହାପରେ ଘୋଡା ଖଞ୍ଜାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ରଥ ଦଉଡି ଟାଣି ନେଇ ପରମାନନ୍ଦ ଲାଭ କରିଛନ୍ତି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲା । ହେଲେ ପ୍ରବଳ ଭିଡ କାରଣରୁ ଅନେକ ଶ୍ରଦ୍ଧାଳୁ ହଠାତ ଅଣନିଶ୍ବାସୀ ହୋଇପଡିଥିଲେ । ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ସନ୍ଧ୍ୟା ହୋଇଯିବାରୁ ଗୋଟେ ଦିନ ପାଇଁ ରଥଟଣା ସରିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !