‘ବିକଶିତ ଗାଁ, ବିକଶିତ ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ l
ଭୁବନେଶ୍ୱର ତା ୦୫/୦୨(ବ୍ୟୁରୋ ରିପୋର୍ଟ) :- ଆଜିଠୁ ଆରମ୍ଭ ହେଲା ‘ବିକଶିତ ଗାଁ, ବିକଶିତ ଓଡିଶା’ । ଭୁବନେଶ୍ୱର ନିକଟବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି, ଏହି ଯୋଜନା ତାକୁ ଦୂର କରି ମୌଳିକ ଭିତ୍ତିଭୂମିରେ ସମାନତା ଆଣିବ । ଓଡିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଗାଁ ଗୁଡିକୁ ବିକାଶର ଗ୍ରୋଥ୍ ଇଂଜିନ କରିବ । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ “ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ୍, ସବ୍କା ପ୍ରୟାସ୍”ର ଶ୍ରେଷ୍ଠ ନିଦର୍ଶନ ।
ଏହି ଯୋଜନାରେ ଗାଁ ଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଆବଶ୍ୟକ ହେଲେ, ଏହି ଯୋଜନାକୁ ଆହୁରି ସମ୍ପ୍ରସାରିତ କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାଁର ଉନ୍ନତି ନହେଲେ ଓଡିଶାର ଉନ୍ନତି ଚିନ୍ତା କରିବା ଅସମ୍ଭବ । ଆମର “ବିକଶିତ ଓଡିଶା, ବିକଶିତ ଗାଁ” କାର୍ଯ୍ୟକ୍ରମ ଆମର ଗାଁ ଗୁଡିକର ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଏକ ଯୋଜନାବଦ୍ଧ ଉପାୟରେ ବାର୍ଷିକ ଯୋଜନା ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯିବ । ଏଥିରେ ଗାଁର ରାସ୍ତାଘାଟ ସହିତ ଶିକ୍ଷା, କମ୍ୟୁନିଟି ଆସେଟ୍, ପୂଜାପାଠ ସ୍ଥାନ, କ୍ରୀଡା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପ ଆଦିର ବିକାଶ କରାଯିବ ।
ଏହି ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଗାଁ ଭିତରର ରାସ୍ତା ଓ ଗାଁକୁ ଗାଁ ସହିତ ଯୋଡୁଥିବା ରାସ୍ତା ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏଥିରେ ପିଚୁ ରାସ୍ତା, ସିମେଣ୍ଟ କଂକ୍ରିଟ୍ ରାସ୍ତା, ପେଭର ବ୍ଲକ ରାସ୍ତା, ସେତୁ ଓ କଲଭର୍ଟ ଆଦି ନିର୍ମାଣ କରାଯାଇ ପାରିବ । ଜଙ୍ଗଲ ଅଞ୍ଚଳରେ ଥିବା ରାସ୍ତା ଗୁଡିକୁ ମଧ୍ୟ ଏଥିରେ କଂକ୍ରିଟ୍ କରାଯାଇ ପାରିବ ।
ଏହା ସହିତ ସର୍ବ ସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନ- ଯେପରି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧେଇବା ଘାଟର ଉନ୍ନତି, ପରିଧାନ ପରିବର୍ତ୍ତନ ପ୍ରକୋଷ୍ଟ, ମାର୍କେଟ୍ ସେଡ୍ ଆଦି ନିର୍ମାଣ କରାଯିବ ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.