କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାର l
ଭୁବନେଶ୍ୱର/କେନ୍ଦୁଝର ତା. ୦୫/୦୫(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନଙ୍କର ଉତ୍ତମ ଚିକିତ୍ସା ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ଦେଶରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର ଖୁବ ଅଧିକ। କେନ୍ଦୁଝର ଭଳି ଜିଲ୍ଲାରେ ଖଣି କାରବାର ଯୋଗୁଁ ଅଧିକ ଯାନବାହନ ଚଳାଚଳ ହେଉଛି। ଏହା ସହିତ ଆଗାମୀ ଦିନରେ ଅଧିକ ଶିଳ୍ପ ପ୍ରତିଷ୍ଠା ଓ ଭିତ୍ତିଭୂମିର ବିକାଶ ମଧ୍ୟ କରାଯିବ। ତେଣୁ, ଯାନବାହନ ଚଳାଚଳା ଆହୁରି ବୃଦ୍ଧି ପାଇବ। ଏ କ୍ଷେତ୍ରରେ ଉତ୍ତମ ଟ୍ରମା କେୟାର ବ୍ୟବସ୍ଥା ଲୋକଙ୍କୁ ଆଶୁ ମୃତ୍ୟୁମୁଖରୁ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସରକାର ଗଠନ କରିବାର ଅଳ୍ପଦିନ ମଧ୍ୟରେ ସବୁ ଖଣିଜ ଜିଲ୍ଲା ଗୁଡିକର ମେଡିକାଲ କଲେଜ ଗୁଡିକରେ ଟ୍ରମା କେୟାର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି କେନ୍ଦୁଝରରେ ଏହା ସ୍ଥାପନ ହୋଇଛି, ଖୁବଶୀଘ୍ର ଅନ୍ୟସ୍ଥାନରେ ମଧ୍ୟ ଟ୍ରମା କେୟାର ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ର...