ଏବେ ବି ବଞ୍ଚି ରହିଛି ପୂରାତନ ପରମ୍ପରା, ଖଟ ରେ ଶୋଉ ନ ଥିବା ଗାଁ '' କୋଟଗାଁ'' I
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ନିଦ ଖୋଜେ ଆରାମ ଶେଜ । ନିଦ ହେଲେ ମଣିଷ ଯେ କୌଣସି ସ୍ଥାନରେ ଧୋଳେଇ ପଡେ । ତଥାପି ଟିକିଏ ଆରାମ ରେ ଶୋଇବାକୁ ମଣିଷ ପସନ୍ଦ କରେ । ଧନୀ ହେଉ କି ଗରିବ ସମସ୍ତେ ନିଶ୍ଚିତ ଖୋଜେ ଖଟ କି ପଲଙ୍କ । ହେଲେ ବର୍ତ୍ତମାନ ସମୟରେ ମଧ୍ୟ ଗୋଟିଏ ଗାଁ ଅଛି ଯେଉଁ ଗାଁରେ କାଳ କାଳ ଧରି ଖଟ କି ପଲଙ୍କ ବ୍ୟବହାର ହେଉନଥିବା ଦେଖି ଆଶ୍ଚର୍ଯ୍ୟ ଲାଗେ । ଏହା ଦେଖିବା କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ନିରାଟ ସତ୍ୟ । ନୂଆପଡା ଜିଲ୍ଲାର ଏକ ଗାଁ ଅଛି ସେହି ଗାଁର ନାଁ '' କୋଟଗାଁ '' । ନୁଆପଡା ଜିଲ୍ଲା ସଦର ମହକୁମା ଠାରୁ ୧୦୫ କି.ମି. ଦୂର ବଣ ପାହାଡ ଘେରା ପାତାଳ ଗଙ୍ଗା ନିକଟସ୍ଥ ଆଦିମ ଜନଜାତି ବହୁଳ ଏକ ବସ୍ତି ହେଉଛି '' କୋଟଗାଁ'' । ଏହି ଗାଁରେ ମୁଖ୍ୟତ ଗଣ୍ଡ ମାଝୀ, ଭୁଞ୍ଜିଆ, ଚିନ୍ଦା ସମ୍ପ୍ରଦାୟର ର ଲୋକେ ବସବାସ କରନ୍ତି । ଏହି ଅଧିବାସୀ ମାନେ ତାଙ୍କ ଦେବାଦେବୀ ଉପରେ ପ୍ରଗାଢ ବିଶ୍ୱାସ ରଖିଥାନ୍ତି । ଏହି ଦେବାଦେବୀ ଙ୍କୁ ନେଇ ଗାଁରେ ରହିଛି ଏକ ଅଜଣା ପରମ୍ପରା। ଗାଁର ଇଷ୍ଟ ଦେବୀ ଙ୍କୁ ସମ୍ମାନ ଜଣାଇବା କୁ ଯାଇ ଗାଁର ଛୋଟ ଠାରୁ ବୁଢା ସମସ୍ତେ ଯୁଗ ଯୁଗ ଧରି ଖଟ ରେ ଶୋଉ ନଥିବା ବେଳେ ଚୌକି ରେ ବସୁନଥିବା ଦେଖିବାକୁ ମିଳେ । ଏଠିକାର ସମସ୍ତେ ତଳେ ଶୋଉଥିବା ବେଳେ କୌଣସି ଅତିଥି ଆସିଲେ ମଧ୍ୟ ତଳେ ବସିବା କୁ ଦେଉଥିବା ଦେଖିବାକୁ ମିଳେ । ଯେତେବେଳେ ଭୁଲ ବସତ ଖଟ ରେ ଶୋଇଲେ ଦେବୀ ଆବିର୍ଭାବ ହୋଇ ଖଟ ରୁ ଫିଙ୍ଗି କଷ୍ଟ ପୀଡା ଦେଉଥିବା ଗାଁ ଲୋକେ କହିଛନ୍ତି ।
ପ୍ରାୟ ନଅ ଶହ ଜନ ସଂଖ୍ୟା ବିଶିଷ୍ଟ ଏହି ଗାଁ ରେ ଲୁଚି ରହିଛି ଏକ ଅଜଣା ମହାନ ପରମ୍ପରା ଯାହାକି ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଜାଣି ନାହାଁନ୍ତି । ଗାଁର ପରମ୍ପରା ଆନୁସାରେ ତ୍ରେତୟା ଯୁଗରୁ ପିଢ଼ି ପରେ ପିଢ଼ି ଏହି ଗାଁର ଲୋକେ ଖଟ ରେ ଶୁଅନ୍ତି ନାହିଁ କି ଚୌକି ରେ ବସନ୍ତି ନାହିଁ । ସେହିପରି ଘରପିଣ୍ଡା ରେ ଚପଲ ମଧ୍ୟ ବ୍ୟବହାର କରନ୍ତି ନାହିଁ । କାରଣ ଗାଁ ମୁଣ୍ଡରେ ରହିଛନ୍ତି ଗାଁର ଇଷ୍ଟ ଦେବୀ ମାଁ ଦ୍ୱାରସନୀ, ଗୁରୁବୁଢ଼ା, ଖଟତାଲିବାବୁ ।
ଏହି ଦେବୀ ମାନେ ମାଟିରୁ ଜନ୍ମ ନେଇଛନ୍ତି । ଆଉ ଆମେ ଯଦି ମାଟି ଉପରେ ଖଟ କି ପଲଙ୍କ ବ୍ୟବହାର କଲେ ମାଁ ଙ୍କୁ ଅସମ୍ମାନ ହେବ ବୋଲି ଏଠିକାର ଲୋକ ମାନଙ୍କ ଦୃଢ଼ ବିଶ୍ୱାସ ରହିଛି । ଗାଁକୁ କୌଣସି ନେତା କି ମନ୍ତ୍ରୀ, ସରକାରୀ ଅଧିକାରୀ ଆସିଲେ ମଧ୍ୟ ସେମାନଙ୍କୁ ତଳେ ଚଟିଆ ରେ ବସିବାକୁ ଦେଇଥାନ୍ତି । '' କୋଟଗାଁ '' ର ଏହି ପରମ୍ପରା ବହୁ ପୁରାତନ ସେମାନଙ୍କ କହିବା ଅନୁସାରେ ଗାଁର ଇଷ୍ଟଦେବୀ ଦ୍ୱାରସନୀ ଦେବୀ ଙ୍କ ସ୍ୱାମୀ ବୁଢାରାଜା ଏବଂ ତାଙ୍କ ଏକ ମାତ୍ର ପୁଅ ଖଟତାଲିବାବୁ ଅଟନ୍ତି । ଦେବୀ ଦ୍ୱାରସନୀ ଙ୍କ ସାତ ଭଉଣୀ ଅଛନ୍ତି । ବୋଡେନ ବ୍ଲକ ର ୨୪ ଟି ଟିକ୍ରି ଅର୍ଥାତ ଚବିଶି ଟି ଗାଁର ଗଉନ୍ତିଆ ଙ୍କ ନେତୃତ୍ୱରେ ଦେବୀ ପୂଜା ପାଇ ଆସୁଛନ୍ତି । ଦେବୀ ଙ୍କ ବର୍ଷ କୁ ୫ ଗୋଟି ଯାତ୍ରା ହୋଇଥାଏ । ଦେବୀ ଙ୍କ ଶତାଧିକ ମୁଖ୍ୟ ସେବାୟତ ରହିଛନ୍ତି । ଯେ କେହି ମାଁ କୁ ଅସମ୍ମାନ କରି ସେବାରେ ଅବହେଳା କଲେ ମାଁ କଷ୍ଟ ଦେଇଥାଏ ବୋଲି ଦୃଢ଼ ବିଶ୍ୱାସ ରହିଛି । ଏହି ଗାଁରେ ଖଟ କିମ୍ବା ପଲଙ୍କ ଆଉ ଯୋତା ଚପଲ ବ୍ୟବହାର କରୁନଥିବା ତାଙ୍କର ପୁରୁଣା ପରମ୍ପରା ବୋଲି ଗବେଷକ ମାନେ ମଧ୍ୟ ମତବ୍ୟକ୍ତ କରିଥାନ୍ତି ।
ଯୁଗ ଯେତେ ପରିବର୍ତ୍ତନ ହେଲେ ମଧ୍ୟ ସମୟ ର ତାଳରେ ତାଳ ଦେଇ ନିଜ ପରମ୍ପରା କୁ ବଜାୟ ରଖି ଜୀବନ ଅତିବାହିତ କରୁଛନ୍ତି ଆଦିମ ଜନଜାତି । ଆଧୁନିକ ଯୁଗରେ ମଧ୍ୟ ଖଟ କି ପଲଙ୍କ ଆଉ ଯୋତା ଚପଲ ବ୍ୟବହାର ନକରି ସୁଖଶାନ୍ତି ରେ ବଞ୍ଚୁଛନ୍ତି। (ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ)
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.